http://odisha-samachar.blogspot.in/2018/04/w-uuke-i-ioaez-buhu.html
ଭାରତର ସାମାଜିକ ବିପ୍ଲବର ଅଗ୍ରଦୂତ ତଥା ସମ୍ବିଧାନ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାବାସାହେବ ଭୀମରାଓ ଆମ୍ବେଦକରଙ୍କର ଜୀବନର ସଠିକ ମୂଲ୍ୟାୟନ ବର୍ତମାନ ସୁଦ୍ଧା ହୋଇ ପାରି ନାହିଁ । ତାଙ୍କୁ ବର୍ତମାନ ମଧ୍ୟ ଜଣେ ଦଳିତ ମାନଙ୍କ ବିଷୟରେ ଚିନ୍ତା କରୁଥିବା ନେତା ଭାବେ ଚିତ୍ରିତ କରାଯାଇଛି, ଯାହାକି ତାଙ୍କର ବାସ୍ତବିକ ମହାନ ଚରିତ୍ରର ଏକ ଅଂଶବିଶେଷ ମାତ୍ର । ତାଙ୍କ ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକର୍ତା ମାନେ ତାଙ୍କ ଜୀବନର ରାଷ୍ଟ୍ରବାଦୀ ପକ୍ଷ ଉପରେ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି ଯାହା ଫଳରେ ତାଙ୍କର ଏହି ପକ୍ଷ ବର୍ତମାନ ସୁଦ୍ଧା ଅନାଲୋଚିତ ଅବସ୍ଥାରେ ରହିଛି । ଏହି ଆଲେଖ୍ୟରେ ଆମେ ବାବା ସାହେବଙ୍କର ଏପରି ଏକ ଅନାଲୋଚିତ ଅଧ୍ୟାୟ ଉପରେ ଚର୍ଚା କରିବା । ଆମ୍ବେଦକରଙ୍କର ସଂସ୍କୃତ ଭାଷା ପ୍ରତି ଗଭୀର ପ୍ରେମ ଥିଲା । କିନ୍ତୁ ସେ ତଥାକଥିତ ଅସ୍ପୃଶ୍ୟ ବର୍ଗରେ ଜନ୍ମ ନେଇଥିବା କାରଣରୁ ତାଙ୍କୁ ସଂସ୍କୃତ ପଢିବାକୁ ଦିଆଯାଇ ନ ଥିଲା । ସଂସ୍କୃତରେ ପାରଙ୍ଗତ ହେବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ପରବର୍ତୀ ସମୟରେ ସେ ନିଜ ଚେଷ୍ଟାରେ ସଂସ୍କୃତ ଶିଖିଥିଲେ । ସଂସ୍କୃତର ଅପାର ଜ୍ଞାନ ଭଣ୍ଡାର ଓ ଉକ୍ରୃଷ୍ଟ ସାହିତ୍ୟ ସମ୍ପର୍କରେ ତାଙ୍କର ଭଲ ଜ୍ଞାନ ଥିଲା । ଡ. ଆମ୍ବେଦକରଙ୍କର ସଂସ୍କୃତ ଶିଖିବା ଇଚ୍ଛା ସମ୍ପର୍କରେ ତାଙ୍କର ଜୀବନୀ ଲେଖକ ଧନଂଜୟ କୀର ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି - ବାବାସାହେବ ଅନେକ ଥର କହୁଥିଲେ ଯେ ସଂସ୍କୃତ ଭାଷାର ଅଭିମାନ ଥିବା କାରଣରୁ ତାଙ୍କୁ ସଂସ୍କୃତ ଭାଷା ଭଲ ଭାବେ ଆସିବା ଦରକାର, ଏହି ଅଭିଳାଷା ତାଙ୍କର ରହଥିଲା । ତେବେ ଦେଖିବାକୁ ପଡିବ ଏହି ସୁଦିନ କେବେ ଆସିବ । ( ଡ. ବାବାସାହେବ ଆମ୍ବେଦକର, ପୃଷ୍ଠା -୨୨ ପରିଶିଷ୍ଟ ୧ ) ଖୁବ କମ ଲୋକଙ୍କୁ ଜଣା ଯେ ସମ୍ବିଧାନ ସମିତିରେ ଜାତୀୟ ଭାଷା ଓ ରାଜ୍ୟ ବ୍ୟବହାର ପାଇଁ ଅଧିକୃତ ଭାଷା ସହିତ ସମ୍ପର୍କିତ ଅନୁଚ୍ଛେଦରୁ ସଂସ୍କୃତକୁ ଜାତୀୟ ଓ ରାଜ୍ୟ ବ୍ୟବହାରର ଭାଷା ଭାବେ ରଖିବା ପାଇଁ ସୁପାରିଶ କରାଯାଇଥିଲା । ଯେଉଁ ମାନେ ଏଭଳି ସୁପାରିଶ କରିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ମୈତ୍ର, ଟି.ଟି.କୃଷ୍ଣାମାଚାରୀ, ଡା. ବାଳକୃଷ୍ଣ କେସକର (ତକ୍ରାଳୀନ ବୈଦେଶିକ ଉପମନ୍ତ୍ରୀ) , ପ୍ରୋଫେସର ନଜିରୁଦ୍ଦିନ ଅହମଦ, ଡ. ଆମ୍ବେଦକର ତଥା ମାଡ୍ରାସ, ତ୍ରିପୁରା- ମଣିପୁର- କୁର୍ଗ ପ୍ରାନ୍ତର ସଦସ୍ୟ ମାନେ ଥିଲେ । ଯେତେବେଳେ ଏ ସମ୍ପର୍କରେ ସାମ୍ବାଦିକ ମାନେ ଡ. ଆମ୍ବେଦକରଙ୍କୁ ପଚାରିଥିଲେ ସେତେବେଳେ ସେ କହିଥିଲେ – ସଂସ୍କୃତରେ କଣ ଦୋଷ ରହିଛି । ପ୍ରୋ. ନଜିରୁଦ୍ଦିନ କହିଥିଲେ ଯେ - ଡବଲୂ ସି.ଟେଲର, ମ୍ୟାକ୍ସମୁଲର, ଉଇଲିୟମ ଜୋନ୍ସ ପରି ପାଶ୍ଚାତ୍ୟ ବିଦ୍ୱାନ ମାନଙ୍କୁ ଉଦ୍ଧୃତ କରି ସଂସ୍କୃତ ଭାଷାର ଅତୁଳନୀୟ ସମୃଦ୍ଧି ଓ ଶୁଦ୍ଧତା ସମ୍ପର୍କରେ କହି ଏହା ଲାଟିନ ଓ ଗ୍ରୀକ ଭାଷା ଠାରୁ କେତେ ଶ୍ରେଷ୍ଠ ତାର ପ୍ରମାଣ ଦେଇଥିଲେ । ଏହି ଅବସରରେ ଲକ୍ଷ୍ମୀକାନ୍ତ ମୈତ୍ର ଏହି ସଂଶୋଧନକୁ ଜୋରଦାର ସମର୍ଥନ କରି ଆଉ ଏକ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ହିନ୍ଦୀ ଭଳି କୌଣସି ବିଶିଷ୍ଟ ରାଜ୍ୟର ଭାଷାକୁ ଜାତୀୟ ଭାଷାର ମାନ୍ୟତା ପ୍ରଦାନ କଲେ ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ଯେଉଁ ସନ୍ଦେହ ଓ କଟୁତା ତିଆରି ହେବାର ଆଶଙ୍କା ରହିଛି, ସଂସ୍କୃତକୁ ଏହା ସ୍ଥାନରେ ରଖିଲେ ଉକ୍ତ ସନ୍ଦେହ ଓ କଟୁତାକୁ ଦୂର କରାଯାଇ ପାରିବ । ସଂସ୍କୃତକୁ ତାର ଉପଯୁକ୍ତ ମାନ୍ୟତା ଦେଇ ଆମେ ବିଶ୍ୱକୁ ଜଣାଇ ଦେଇ ପାରିବା ଯେ ଆମେ ଆମର ଅତୀତର ବୈଭବକୁ କେତେ ଆଦର ଓ ସମ୍ମାନ କରୁଛୁ ଏବଂ ସମଗ୍ର ବିଶ୍ୱକୁ ଆମର ପ୍ରାଚୀନ ସଂସ୍କୃତିର ଆଧ୍ୟାତ୍ମିକ ବାର୍ତା ପ୍ରଦାନ ପାଇଁ ଇଚ୍ଛା କରୁଛୁ । ସଂସ୍କୃତକୁ ସ୍ୱୀକାର କରି ଆମେ ଭାବୀ ପୀଢୀର ଉଜ୍ୱଳ ଭବିଷ୍ୟତ ନିର୍ମାଣ କରି ପାରିବା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଡ. ଆମ୍ବେଦକରଙ୍କ ଦ୍ୱାରା ସଂସ୍କୃତ ଭାଷା ସମ୍ପର୍କରେ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବକୁ ସ୍ୱୀକାର କରାଯାଇ ନ ଥିଲା । ସଂସ୍କୃତ ଭାଷା କେବଳ ଅଷ୍ଟମ ଅନୁସୂଚୀରେ କେବଳ ଏକ ଭାରତୀୟ ଭାଷାର ମାନ୍ୟତା ଦିଆ ଯାଇଥିଲା । ଡ. ଆମ୍ବେଦକରଙ୍କର ଇଚ୍ଛା ଥିଲା ଯେ ସଂସ୍କୃତକୁ ରାଷ୍ଟ୍ର ଭାଷା କରିବା ବିଷୟରେ ୧୦ ଡିସେମ୍ବର ୧୯୪୯ରେ ତାଙ୍କର ସଂଗଠନ ଶେତକାରୀ କାମଗାର ସଙ୍ଗଠନର କାର୍ଯ୍ୟକାରୀ ମଣ୍ଡଳରେ ଏକ ପ୍ରସ୍ତାବ ଗୃହୀତ କରାଯାଉ । କିନ୍ତୁ ସେତେବେଳେ ବି.ପି. ମୌର୍ଯ୍ୟଙ୍କ ପରି ଯୁବ ସଦସ୍ୟ ମାନଙ୍କର ବିରୋଧ କାରଣରୁ ଏହା ସମ୍ଭବ ହୋଇ ପାରି ନ ଥିଲା । ଏହି ଘଟଣାର ଦୀର୍ଘ ଦିନ ପରେ ବି.ପି. ମୌର୍ଯ୍ୟ ଦୁଃଖ ପ୍ରକଟ କରି କହିଥିଲେ ଯେ ସେତେବେଳେ ସେ ଡ. ଆମ୍ବେଦକରଙ୍କର ସଂସ୍କୃତ ଭାଷା ସମ୍ପର୍କିତ ପ୍ରସ୍ତାବର ବିନା କୌଣସି କାରଣରେ ବିରୋଧ କରିଥିଲେ ।
No comments:
Post a Comment