Wednesday, April 25, 2018

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

୨୫/୦୪/୨୦୧୮
ମହାରାଜା କୃଷ୍ଣଚନ୍ଦ୍ର ଗଜପତ
ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ  । ତାଙ୍କ ନାମ ଅନୁସାରେ ଗଜପତି ଜିଲ୍ଲାର ନାମକରଣ ହୋଇଛି  । ପ୍ରଥମ ବିଶ୍ୱଯୁଦ୍ଧରେ କ୍ୟାପେଟନ୍ ଦାୟିତ୍ୱ ତୁଲାଇଥିବା ଏହି ମହାନ ପୁରୁଷଙ୍କ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ଅତୁଟ ପ୍ରେମ ରହିଥିଲା  । ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି, କ୍ରୀଡ଼ା, ଅଶ୍ୱରୋହଣ ପ୍ରତି ତାଙ୍କର ରହିଥିଲା ଅହେତୁକ ଆଗ୍ରହ  । ଗୋପବନ୍ଧୁ, ମଧୁସୂଦନ, ଫକୀରମୋହନ ଆଦିଙ୍କ ସହ ହାତ ମିଳାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଅଶେଷ ଯାଗଦାନ ଦେଇଥିଲେ  । ଉକ୍ରଳ ସମ୍ମିଳନୀର ସଦସ୍ୟ ଭାବେ ୧୯୩୦ ନଭେମ୍ବର ୧୬ ତାରିଖରେ ଲଣ୍ଡନରେ ଆୟୋଜିତ ଗୋଲ୍ ଟେବୁଲ ବୈଠକରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ସେ ଇଂରେଜ ସରକାରଙ୍କ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ  । ତାଙ୍କରି ଏହି ପ୍ରସ୍ତାବ ବାସ୍ତବ ରୂପ ନେଇଥିଲା  । ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ଆମ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେବାର ଗୌରବ ଲାଭ କଲା  । ସେ ସ୍ୱତନ୍ତ୍ର ଉକ୍ରଳର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କଲେ  । ଉକ୍ରଳ ବିଶ୍ୱବିଦ୍ୟାଳୟ, କଟକ ବଡ଼ମେଡ଼ିକାଲ, କଟକ ବିଦ୍ୟାଧରପୁର ଠାରେ ଧାନ ଗବେଷଣା କେନ୍ଦ୍ର ଆଦି ଅନୁଷ୍ଠାନ ସମେତ ବହୁ ଶିକ୍ଷାନୁଷ୍ଠାନ, ଶିଳ୍ପକେନ୍ଦ୍ର, ଡାକ୍ତରଖାନା ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା  । ତାଙ୍କରି ଯୋଗୁଁ ଦକ୍ଷିଣ ଓଡ଼ିଶାରେ କୃଷି ଏବଂ ଜଳସେଚନ ବ୍ୟବସ୍ଥାର ବ୍ୟାପକ ବିକାଶ ହୋଇପାରିଥିଲା  । ଗଞ୍ଜାମ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ରୂପେ ପରିଚିତ ହୋଇପାରିଥିଲା  । ଦେଶ ବିଦେଶରୁ ବହୁ ଉପାଧି ପ୍ରାପ୍ତ କରିଥିବା ରାଜା କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡ ସରକାରଙ୍କ ଠାରୁ ସମ୍ମାନଜନକ ନାଇଟହୁଡ଼୍ ଉପାଧିରେ ସମ୍ମାନିତ ହୋଇଥିଲେ  । ଭାରତୀୟ ସମ୍ବିଧାନ ପ୍ରଣୟନରେ ମଧ୍ୟ ତାଙ୍କର ଯୋଗଦାନ ରହିଥିଲା  । ଓଡ଼ିଶା ମାଟିର ଏହି ବରପୁତ୍ର ୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ପାରଳାଖେମୁଣ୍ଡି ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ  ।

No comments:

Post a Comment