Friday, April 27, 2018

ଆଇନଜୀବୀର ଅନ୍ତରାତ୍ମାରେ ମଧୁ ବିଚାରଧାରା

୨୭/୦୪/୨୦୧୮

ଓଡ଼ିଆତ୍ୱର ଅସ୍ମୀତାରେ ବିଶ୍ୱାସ କରୁଥିବା ଓ ବ୍ୟକ୍ତିଗତ ଜୀବନ ନଗଲେ ଜାତୀୟ ଜୀବନ ଉଠିବ ନାହିଁ ଆଦର୍ଶରେ ଅନୁପ୍ରାଣିତ ଜାତି ନନ୍ଦିଘୋଷର ପ୍ରମତ୍ତ ସାରଥୀ ମଧୁବାବୁଙ୍କ ଜନ୍ମଜୟନ୍ତୀକୁ ରାଜ୍ୟବାର୍କାଉନ୍ସିଲ୍ ପକ୍ଷରୁ ଆଇନଜୀବି ଦିବସଭାବେ ଆଜି ରାଜ୍ୟର ୧୬୬ଟି ବାର୍ ଆସୋସିଏସନ୍ରେ ପାଳନ କରାଯାଉଛି  । ଏହି ଅବସରରେ ମଧୁବାବୁଙ୍କ ନିଜ ଜୀବନୀର ବିଚାର ଓ ବିଚାରଧାରା ଆଇନଜୀବି ମାନଙ୍କ ଅନ୍ତରାତ୍ମାରେ ଏଭଳି ପ୍ରଭାବ ପକାଇଛି ସେ ସମ୍ପର୍କରେ ଆତ୍ମନିରୀକ୍ଷାର ଆବଶ୍ୟକତା ରହିଛି  । ଓଡ଼ିଆଜାତି ଓ ପ୍ରାଣକୁ ଭଲପାଇଥିବା ମଧୁବାବୁ ଜଣେ ସ୍ୱାଭିମାନୀ ଆଇନଜୀବୀ ଭାବେ କିଭଳି ନିଜ ଜୀବନର ଆଇନ ପେଶାକୁ ବ୍ୟବହାର କରିଥିଲେ ତାହା ସାଂପ୍ରତିକ ଆଇନଜୀବି ସମାଜ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଆହ୍ୱାନ ସୃଷ୍ଟିକରିଛି  । ବିଶ୍ୱବିଦ୍ୟାଳୟରୁ ଅଧିକ ଅର୍ଥ ଦେଇ ଆଇନ ଶିକ୍ଷା ଲାଭ କରୁଥିବା ଯୁବ ଆଇନଜିବୀଙ୍କ ପାଇଁ ସାମାଜିକ ମୂଲ୍ୟବୋଧ, ସାମାଜିକ ଉତ୍ତରଦାୟିତ୍ୱ ଓ ସମ୍ବେଦନଶୀଳତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ମଧୁ ଆଦର୍ଶର ଗୁରୁତ୍ୱପୂର୍ଣ୍ଣତା ଓ ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି  । ଓଡ଼ିଆ ପଣକୁ ନେଇ ସ୍ୱାଭିମାନରେ ବଞ୍ôଚଥିବା ମଧୁବାବୁଙ୍କ ନିକଟରେ ସେଥିପାଇଁ ପରସ୍ପର ବିରୋଧି ଗୋଷ୍ଠୀ ଓ ପାରମ୍ପରିକ ସମ୍ପର୍କ ବିହୀତ ଗୋଷ୍ଠୀ ଆସି ତାଙ୍କର ମହକିଲ ପାଲଟି ଯାଉଥିଲେ  । ଆଜି ଯୁବ ଆଇନଜୀବିମାନେ ରାଜନୈତିକ ଆଦର୍ଶରୁ ନିଜକୁ ମୁକ୍ତ ରଖି ମଧ୍ୟ ନିଜକୁ ରାଜନୈତିକ ଦଳର ସଦସ୍ୟ ଭାବି ନିଜସ୍ୱ ବିଚାରରେ ବିଶ୍ୱାସ ରଖୁ ନ ଥିବାବେଳେ ମଧୁ ଆଦର୍ଶକୁ ମନେ ପକେଇବାର ଆବଶ୍ୟକତା ରହିଛି  । ଏଥିପାଇଁ ମଧୁବାବୁ ଅନେକ ସମୟରେ କହୁଥିଲେ 'ମଧୁସୂଦନ ଦାସର ଯେ ନିଜସ୍ୱ ଗୋଟିଏ ବିଚାର ଅଛି ସେ କଥା ଏମାନେ ଭାବୁ ନାହାଁନ୍ତି କାହିଁକି ମଧୁ ଓକିଲ ପଇସା ପାଇଁ ଲଢ଼େ ନାହିଁ, ଲଢ଼େ ସ୍ୱାଭିମାନ ପାଇଁ, ଉତ୍କଳ ପାଇଁ ପୁଣି ନ୍ୟାୟ ପାଇଁ ଏହି ନ୍ୟାୟ ବିଚାରରେ ଉତ୍କଳ ସ୍ୱାର୍ଥରକ୍ଷା ହିଁ ପ୍ରଧାନ ନୀତି'  । ନିଜର କର୍ମ ଓ ଆଚରଣ ମାଧ୍ୟମରେ ସମ୍ମାନ ହାସଲ କରିଥିବା ମଧୁବାବୁ ନିଜର ନୀତିନିଷ୍ଠ ଆଇନଜୀବି ଜୀବନରେ ଏଥିପାଇଁ ବହୁ ଘାତସଂଘାତ ଓ ସଂଘର୍ଷର ସାମ୍ନା କରିଥିଲେ  । ମଧୁସୂଦନଙ୍କ ଆଇନଜୀବି ଜୀବନର ଆକଳନ କେବେ ମକଦ୍ଦମାରେ ହାରଜିତରେ ଓଜନ କରାଯାଉ ନ ଥିଲା  । ନିଜ ଓକିଲାତିର ବୁଦ୍ଧିକୁ ନିଜ ଦେଶ, ଜାତି ଓ ସମାଜର କଲ୍ୟାଣ କାମନାରେ ଲଗାଇଥିବା ମଧୁବାବୁଙ୍କ ଜୀବନକୁ ଅନୁଧ୍ୟାନ କଲାପରେ ଜଣାପଡ଼ିଲା ଯେ କୃଷି, ଶିଳ୍ପ, ସାଂସ୍କୃତିକ, ରାଜନୈତିକ ଏକତା ଓ ଓଡ଼ିଆଙ୍କ ମଧ୍ୟରେ ସ୍ୱତନ୍ତ୍ର, ପରିଚୟ ସୃଷ୍ଟି କରିବା ପାଇଁ ସେ ଓକିଲାତିରୁ ଅର୍ଜନ କରିଥିବା ଅର୍ଥକୁ ଖର୍ଚ୍ଚ କରିଦେଇଥିଲେ  । ଓଡ଼ିଆରେ ନିଜଘର ଆଗରେ ନିଜର ନାଁ ଲେଖିବା ଓ କବକରେ ତତ୍କାଳୀନ ଅବସ୍ଥାରେ ଓକିଲାତି କରୁଥିବା । ଆଇନଜୀବୀମ।।ନଙ୍କ ଅସୂୟା ଓ ଈର୍ଷା ପ୍ରବଣତାର ଆଦୌ ବ୍ୟତିବ୍ୟସ୍ତ ହୋଇପଡ଼ି ନଥିଲେ ମଧୁବାବୁ  । ଯୁବ ଆଇନଜୀବିମାନଙ୍କ ପାଇଁ ସେଥିପାଇଁ ଏହି ବିଚାରଧାରାର ପ୍ରୟୋଗାତ୍ମକ ଦିଗକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି  । ଠିକ୍ ସେହିପରି ନିଜେ ଗୋଟିଏ ଧର୍ମରେ ଦୀକ୍ଷିତ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀ ମାନଙ୍କ ପ୍ରତି ସମ୍ମାନ ଓ ସେମାନଙ୍କ ମକଦ୍ଦମାକୁ ଭଲପାଇ ଲଢ଼ିବାର କଳାକୌଶଳ ମଧ୍ୟ ମଧୁ ବିଚାର ଧାରାର ଅଂଶ ବିଶେଷ  । ସେଥିପାଇଁ ତାଙ୍କ ଜୀବନରେ ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନାର ଦାୟିତ୍ୱ ସୂର୍ଯ୍ୟମଣି ପାଟ ମହାଦେଇ ହାତରୁ କାଢ଼ିନେବା ପାଇଁ ଇଂରେଜ ସରକାର କରିଥିବା ନିଷ୍ପତ୍ତି ବିରୁଦ୍ଧରେ କଲିକତା ହାଇକୋର୍ଟରେ ଲଢ଼ି ସେ ସଫଳ ହୋଇଥିଲେ  । ଜୀବନର ସଂଘର୍ଷମୟ ତିକ୍ତ ଅଭିଜ୍ଞତା ଓ ତାଙ୍କ ବିରୁଦ୍ଧରେ ଅପପ୍ରଚାର ତାଙ୍କୁ କେବେ ପଛକୁ ଟାଣି ନେଇନଥିଲା । ନିଜ ଜୀବନ ମଧ୍ୟରେ ସେ ଆଇନ କଲେଜରେ ଆଇନ ଅଧ୍ୟାପନା କାର୍ଯ୍ୟକୁ ଆପଣେଇ ଥିଲେ  । କୌଣସି ପାଉଣା ନ ନେଇ ଏହି ଅଧ୍ୟାପନା କାର୍ଯ୍ୟକୁ ଆପଣାଇଥିଲେ ମଧ୍ୟ ସେ ସୂଚାରୁ ରୂପେ ତୁଲାଇଥିଲେ  । ନୀତିନିଷ୍ଠ ଆଦର୍ଶଗତ ଜୀବନଯାପନ କରିବା ଜଣେ ଯୁବ ଆଇନଜୀବୀ ପାଇଁ ଯେତେ ବଡ଼ ଆହ୍ୱାନ ସୃଷ୍ଟି କରେ ମଧୁବାବୁଙ୍କ ଜୀବନ ଆଦର୍ଶ ମଧ୍ୟ ଜଣେ ଯୁବ ଆଇନଜୀବି ମଧ୍ୟରେ ଆଜିର ସମାଜରେ ଆଦର୍ଶଗତ ଦ୍ୱନ୍ଦ ସୃଷ୍ଟି କରେ  । ଆଙ୍ଗୁଠି ଗଣା ଆଇନଜୀବି ମଧୁ ଆଦର୍ଶର ଭାବଗତ ବିଚାରର ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତା ଦିଗରେ ଯେଉଁ ପ୍ରଶ୍ନ କରନ୍ତି ସେହି ପ୍ରଶ୍ନର ଉତ୍ତର ଦେବାବେଳେ ଆଜିର ସାମାଜିକ ପ୍ରସଙ୍ଗକୁ ମଧ୍ୟ ଦୃଷ୍ଟିରେ ରଖି ବିଚାର କରିବାର ଆବଶ୍ୟକତା ରହିଛି  । ନିଜ ଜାତିକୁ ଭଲପାଇବା ଭଳି ବୃହତ୍ତର ଚିନ୍ତାରୁ ନିଜକୁ ମୁକ୍ତ ରଖି ନିଜର ପେଷାଗତ ବନ୍ଧୁ ଓ ପରିବାରବର୍ଗର ବ୍ୟକ୍ତିବିଶେଷକୁ ଭଲପାଇବା ଓ ସେମାନଙ୍କ କାର୍ଯ୍ୟପାଇଁ ମଧ୍ୟ ନିଜସ୍ୱ ପେଷାରୁ ସମୟ ଦେଇ କାର୍ଯ୍ୟ କରିବା ଜଣେ ଯୁବ ଆଇନଜିବୀ ପାଇଁ ମଧ୍ୟ ନୂତନ ଧରଣର ଅର୍ନ୍ତଦ୍ୱନ୍ଦ ସୃଷ୍ଟି କରିଛି  । ସମାଜ ପ୍ରାସଙ୍ଗିକ ଆଇନଶିକ୍ଷା ଯେତେବେଳେ ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକର ପାଠ୍ୟକ୍ରମର ଖସଡ଼ାରୁ ଧିରେ ଧିରେ ହ୍ରାସ ପାଉଛି ସେତେବେଳେ ମଧୁ ଆଦର୍ଶ ଆହୁରି ଉଜ୍ଜ୍ୱୀବିତ ହୋଇ ଉଠୁଛି  । ଭାରତର ଚିନ୍ତା ଓ ଚେତନାର ଏହି ବିରଳ ପ୍ରତିଭା ମଧୁବାବୁ ନିଜେ ପଚି ଶଢ଼ି ନିଜକୁ ତିଳତିଳ କରି କ୍ଷୟ କରି ଜାତୀୟ ଜୀବନର ସୂତ୍ରପାତ କରିଥିଲେ  । ନିଜ ଜୀବନର ଶେଷ ସମୟରେ ମଧ୍ୟଜଣେ ପୁରୁଣା ମହକିଲଠାରୁ ପୁରୁଣା ଦେୟ ବାବଦରେ ପାଇଥିବା ୮୦୦/- ଟଙ୍କାକୁ କେଉଟ ସାହିର ନଳକୂପ ଖନନପାଇଁ କଟକର ତତ୍କାଳୀନ ନଗରପାଳ ଭାଗିରଥି ମହାପାତ୍ରଙ୍କୁ ବଢ଼ାଇ ଦେଇ ନିଜ ପରିବାରବର୍ଗଙ୍କୁ ଜୀବନର ଶେଷ ସମୟରେ ଭଗବାନ୍ ସତ୍ୟରକ୍ଷା ପାଇଁ ଏହି ଅର୍ଥ ପଠାଇଛନ୍ତି ବୋଲି ମଧୁବାବୁ କହିବାର ଘଟଣାବଳୀ ଅନେକ ପୁସ୍ତକରେ ସ୍ଥାନ ପାଇଛି  । ଏହା ଦର୍ଶାଇଛି ଯେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ଅର୍ଥ ସର୍ବସ୍ୱ ଆଇନଜୀବି ନୁହେଁ ସାମାଜିକ ଦାୟିତ୍ୱ ସମ୍ପନ୍ନ ଆଇନଜୀବି ଭାବେ ମଧୁବାବୁ ତାଙ୍କ ଜୀବନ ବିତାଇଥିଲେ । ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷାର ଦାୟିତ୍ୱ ଆଇନଜୀବି ମାନଙ୍କର  । ଏହି ଦାୟିତ୍ୱକୁ ବହନ କଲାବେଳେ ଜଣେ ଆଇନଜୀବି ବହୁ ସଂଘାତ ଓ ସଂଘର୍ଷ ପୂର୍ଣ୍ଣ ଜୀବନ ଯାପନ କରିଥାଏ  । ସାମାଜିକ ନିରାପତ୍ତା ନଥିବା, ମହକିଲଙ୍କର ଅତ୍ୟଧିକ ପେସାଗତ ଚାପର ପ୍ରଭାବରେ ଜଣେ ଆଇନଜୀବିର ଜୀବନ ଅନେକ ସମୟରେ ଯେଉଁ ରାସ୍ତା ଦେଇ ଗତି କରୁଥାଏ ତାହା କେବଳ ଜଣେ ଭୁକ୍ତଭୋଗୀ ଆଇନଜୀବି ହିଁ ଜାଣିଥାଏ  । ସମାଜର ସଂଖ୍ୟାଗରିଷ୍ଠ ବ୍ୟକ୍ତି ବିଶେଷଙ୍କ ଭାବାବେଗ ଶିକାର ହୋଇଥିବା ଯେ କୌଣସି ଜଣେ ଅଭିଯୁକ୍ତ ପାଇଁ ମକଦ୍ଦମା ଲଢୁ଼ଥିବା ଆଇନଜୀବିଟି ଅନେକ ସମୟରେ ମଧ୍ୟ ସମାଜ ଆଖିରେ ଅଭିଯୁକ୍ତ ପାଲଟିଥାଏ  । ଜଣେ ଅଭିଯୁକ୍ତ ପ୍ରକୃତରେ ଦୋଷୀ କିମ୍ବା ନିର୍ଦୋଷ ଏକଥାର ବିଚାର କରିବାର ଦାୟିତ୍ୱ ଜଣେ ଆଇନଜୀବିର ନୁହେଁ  । ସେ କେବଳ ନିଜ ମହକିଲଙ୍କୁ ନିଜର ସମସ୍ତ ଆଇନଗତ ବୌଦ୍ଧିକ ଶକ୍ତିସାମର୍ଥ୍ୟକୁ ପୁିଭୂତ କରି ମକଦ୍ଦମା ପରିଚାଳନା କରି ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଏକ ମାଧ୍ୟମଭାବେ କାର୍ଯ୍ୟକରେ  । ଆଇନଜୀବି ନିକଟରେ ତାର ମହକିଲଙ୍କ ବିଶ୍ୱାସନୀୟତା ହିଁ ସବୁଠାରୁ ବଡ଼ ମୂଳସମ୍ପଦ  । ବିଚାରବିଭାଗୀୟ ଅଫିସର କିମ୍ବା ବିଚାରପତିଙ୍କ ନିକଟରେ ସେଥିପାଇଁ କୌଣସି ଭୟରେ ପ୍ରଭାବିତ ନ ହୋଇ ଜଣେ ଆଇନଜୀବି ନିଜର କର୍ତ୍ତବ୍ୟ ସମ୍ପାଦନା କରିଥାଏ  । ଏହାହିଁ ମଧୁ ବିଚାରଧାରାର ଅଂଶବିଶେଷ  । ନ୍ୟାୟ ବ୍ୟବସ୍ଥାକୁ ସମ୍ବଦ୍ଧଶାଳୀ ଶକ୍ତିଶାଳୀ କରିବା ସହିତ ଆଇନର ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ଦିଗରେ ଜଣେ ଆଇନଜୀବି ସମାଜର ଦିଗ୍ ଦର୍ଶନ ବାବେ କାର୍ଯ୍ୟ କରିଥାଏ ମଧୁବାବୁଙ୍କ ଜନ୍ମଜୟିନ୍ତୀ ପାଳନ ଅବସରରେ ଆଇନଜୀବି ମାନଙ୍କୁ ସେମାନଙ୍କ ନିଜସ୍ୱ ଆଇନଜୀବିର ଜୀବନକୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି  । ଏହି ଆତ୍ମସମୀକ୍ଷା ପ୍ରଚଳିତ ସାମାଜିକ ବ୍ୟବସ୍ଥାରୁ ଉର୍ଦ୍ଧରେ ଆଦର୍ଶବାଦର ଭିତ୍ତିବୂମିରେ ନୁହେଁ ସାମଗ୍ରିକ ଦୃଷ୍ଟିକୋଣରୁ ସମାଜରେ ଆମମାନଙ୍କ ଭାବ ମୂର୍ତ୍ତି ଓ ମୂଲ୍ୟବୋଧର ଆଧାରରୁ ସମୀକ୍ଷା ହେବ ଉଚିତ  । ନ୍ୟାୟିକ ଅନୁଷ୍ଠାନ ପବିତ୍ରତା, ବିଚାରପତିଙ୍କ ଭାବମୂର୍ତ୍ତି ରକ୍ଷା କରିବାର ଗୁରୁଦାୟିତ୍ୱ ମଧ୍ୟ ଆଇନଜୀବିର  । ଆଇନଜୀବି ମାନଙ୍କୁ ଆଚାର ବ୍ୟବହାର ଏପରିକି ଅଦାଲତରେ ବ୍ୟବହାର କରୁଥିବା ଶବ୍ଦ ଗୁଡ଼ିକର ମଧ୍ୟ ପ୍ରଭାବ ଆମ ସମାଜ ଉପରେ ପଡ଼ିଥାଏ  । ଆମ ଭଳି କୌଣସି ସମାଜର ପରିକଳ୍ପନା କରିପାରିବା ନାହିଁ ଯେଉଁଠାରେ ଦ୍ୱନ୍ଦ ନଥିବ  । ଏଭଳି ଏକ ଦ୍ୱନ୍ଦାତ୍ମକ ସମାଜ ଆଜି କେବଳ ନାହିଁ ତାହା ମଧୁବାବୁ ତାଙ୍କ ଜୀବନକାଳ ମଧ୍ୟରେ ଦେଖି ମଧ୍ୟ ଆଇନଜୀବ ଭାବେ କିଭଳି ନିଜର ପେଷାକୁ ବ୍ୟବହାର କରିଥିଲେ ତାହାହିଁ ଆମ ଆଦର୍ଶ ହେବା ଉଚିତ  । ଆମ ସମୟର ଆଇନଜୀବୀମାନେ ଆଇନଜୀବି ଦିବସ ପାଳନ କଲାବେଳେ ଆମ ଜୀବନାଦର୍ଶରେ ମଧୁବାବୁଙ୍କ ବିଚାରଧାରାକୁ ସ୍ଥାନ ଦେବାର ଆବଶ୍ୟକତା ଆମ ଜୀବନପାଇଁ ନୁହେଁ  । ଜାତୀୟ ଜୀବନ ଓ ସାମାଜିକ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ  । ଭବିଷ୍ୟତ ବଂଶଧରମାନେ କେବଳ ଆଜିର ଦିବସରେ ଛୁଟି ଦିବସଭାବେ ବାର୍ ଆସୋସିଏସନ୍ର ମଧୁଜୟୁନ୍ତୀ ପାଳନ କଲାବେଳେ ମଧୁ ଆଦର୍ଶର ଆଚାରଗତ ଓ ବିଚାରଗତ ବ୍ୟବହାର ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି  । ନୂତନ ପରିବର୍ତ୍ତିତ ଚିନ୍ତାଧାରା ଅୟମାରମ୍ଭ ଯୁବ ଆଇନଜୀବିଙ୍କ ଉପରେ ନିର୍ଭର କରେ  । ସେମାନେ ହିଁ ନ୍ୟାୟିକ ବ୍ୟବସ୍ଥାରେ ମଧୁ ଆଦର୍ଶକୁ ଉଜ୍ୱୀବିତ କରି ରଖି ପାରିବେ  ।

No comments:

Post a Comment