Sunday, May 20, 2018
ଗୋପବନ୍ଧୁ ଚୌଧୁରୀ
ଓଡ଼ିଶାର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧିବାଦୀ ନେତା ଭାବେ ଗୋପବନ୍ଧୁ ଚୌଧୁରୀ ପରିଚିତ ବ୍ୟକ୍ତିତ୍ୱ । ସେ କଟକରେ ୮ମଇ ୧୮୯୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗୋପବନ୍ଧୁ ଯେଉଁଘରେ ଜନ୍ମ ଗ୍ରହଣ କରିଥିଲେ, ସେ ଘର ପରବର୍ତ୍ତୀ ସମୟରେ ସ୍ୱରାଜ ଆଶ୍ରମରେ ପରିଣତ ହୋଇଥିଲା । କଲିକତାରେ ସେ ଆଇନ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ୧୯୧୭ ମସିହାରେ କଟକର ଡେପୁଟି ମାଜିଷ୍ଟ୍ରେଟ ରୂପେ ଅବସ୍ଥାପିତ ହୋଇଥିଲେ । ୧୯୨୦ ମସିହାରେ ଭୀଷଣ ନଈବଢ଼ି ସମୟରେ ଗୋପବନ୍ଧୁ ବନ୍ୟ ପ୍ରପୀଡ଼ିତ ଅଞ୍ଚଳରେ ସରକାରଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ଦାବି ଜଣାଇଥିଲେ । ବ୍ରିଟିଶ ସରକାର ତାଙ୍କର ଦାବି ଅଗ୍ରାହ୍ୟ କରିଦେବାରୁ ସେ ସରକାରୀ ଚାକିରୀରୁ ଇସ୍ତଫା ପ୍ରଦାନ କରିଥିଲେ । ତାପରେ ସେ ସତ୍ୟବାଦୀ ଯାଇ ଗୋପବନ୍ଧୁଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । କଂଗ୍ରେସରେ ଯୋଗଦାନ, ଗାନ୍ଧିନୀତି ଅନୁସରଣ, ଖଦଡ଼ ଲୁଗା ପିନ୍ଧିବା, ଆଶ୍ରମ ଓ ଦରିଦ୍ର ନାରାୟଣଙ୍କ ସେବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୧୯୨୧ ମସିହାରେ ଅଳକା ନଦୀ କୂଳରେ ପ୍ରଥମେ ଏକ ଶିକ୍ଷାନୁଷ୍ଠାନ ଓ ପରେ ଅଳକାଶ୍ରମ ପ୍ରତିଷ୍ଠା କରିଥିଲେ । ୧୯୩୪ ମସିହାରେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ସେ ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ଗ୍ରାମ ସଫେଇ, ନିଶା ନିବାରଣ, ପୌଢ଼ଶିକ୍ଷା, ହରିଜନ ସେବା, ମୌଳିକ ଶିକ୍ଷା ସହ ଗ୍ରାମ ଅର୍ଥନୀତିର ଉନ୍ନତି ପାଇଁ ଉଦ୍ୟମ କରିଥିଲେ । ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟ ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଓ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ । ୧୯୩୦ରେ ଇଞ୍ଚୁଡି ଲବଣ ସତ୍ୟାଗ୍ରହ ଓ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ସତ୍ୟାଗ୍ରହ ବେଳେ ସେ ପୁଲିସ ଲାଠିଚାଳନାରେ ଆହାତ ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ସ୍ୱାଧୀନତା ପରେ ସେ ସନ୍ଥ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେ ସମୟରେ ସମାଜ ସଂସ୍କାର ଅଭିମୁଖୀ ଓ ଆଧ୍ୟାତ୍ମିକ ଜ୍ଞାନସମ୍ପନ୍ନ ଭିତ୍ତିକ ଲେଖା ଲେଖୁଥିଲେ । ସରଳ ଜୀବନ ଓ ବନ୍ଧୁବତ୍ସଳତା ଥିଲା ତାଙ୍କର ଅନ୍ୟତମ ଶ୍ରେଷ୍ଠ ଗୁଣ । ଗୋପବନ୍ଧୁ ଚୌଧୁରୀଙ୍କ ଶେଷ ଜୀବନ କଟିଥିଲା କଟକର ଥୋରିଆ ସାହିରେ ଥିବା ଭୂଦାନ ଆଶ୍ରମରେ । ୨୯ ଅପ୍ରେଲ ୧୯୫୮ ମସିହାରେ ସେ ମୃତ୍ୟୁ ବରଣ କରିଥିଲେ ।
Subscribe to:
Post Comments (Atom)
No comments:
Post a Comment